ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ଲଢ଼ିବେ ନାହିଁ ୫-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ୨୦୨୪ ସାଧାରଣ ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ଶ୍ରୀ ପାଣ୍ଡି ଆନ ସ୍ପଷ୍ଟ କରିଛନ୍ତି ବୋଲି ପାରାଦୀପ ବିଜେଡି ବିଧାୟକ ସମ୍ବିତ ରାଉତରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ବିଜେଡି ନେତା ରବୀନ୍ଦ୍ର ଜେନା କହିଛନ୍ତି ଯେ ଭି.କେ ପାଣ୍ଡିଆନ ନିର୍ବାଚନ ନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି। ୧୪୭ ଆସନରେ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଦଳ ପାଇଁ କାମ କରିବେ ବୋଲି ଶ୍ରୀ ପାଣ୍ଡିଆନ ବୈଠକରେ ପ୍ରକାଶ କରିଛନ୍ତି। ସର୍ବଭାରତୀୟ ପ୍ରଶାସନିକ ସେବା ପଦରୁ ସ୍ୱେଚ୍ଛାକୃତ ଅବସର ଓ ବିଜୁ ଜନତା ଦଳରେ ଯୋଗଦାନ ପ୍ରସଙ୍ଗରେ ଶ୍ରୀ ପାଣ୍ଡିଆନ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଦଳର କର୍ମୀ ଓ କର୍ମକର୍ତ୍ତାଙ୍କ ସମ୍ମୁଖରେ ନିଜର ମତ ରଖି କହିଛନ୍ତି ଯେ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛି ଓ ତାଙ୍କ ପ୍ରତି ମୁଁ ସମ୍ପୂର୍ଣ୍ଣ ସମର୍ପିତ। ସର୍ବଭାରତୀୟ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପରେ ଅନେକ ମୋ ସମ୍ପର୍କରେ ଉତ୍ସୁକତା ପ୍ରକାଶ କରିଛନ୍ତି। ମୁଁ ନିର୍ବାଚନ ଲଢ଼ିବି କି ନାହିଁ; ଯଦି ଲଢ଼ିବି କେଉଁଠୁ ଲଢ଼ିବି ତାକୁ ନେଇ ଚର୍ଚ୍ଚା ହେଉଛି। ଦଳରେ ମୋତେ କି ପଦ ମିଳିବ ତାକୁ ନେଇ ଅନେକ ଆଲୋଚନା ଚାଲିଛି। କେହିକେହି ମୋତେ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ନିମନ୍ତେ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। କିନ୍ତୁ ମୋର କୌଣସି ପଦପଦବୀ ଆଶା ନାହିଁ। ଆଗାମୀ ନିର୍ବାଚନରେ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ଆଗାମୀ ନିର୍ବାଚନରେ ରାଜ୍ୟର ସବୁ ୧୪୭ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମର୍ପିତ ହୋଇ କାମ କରିବି ଏବଂ ବିଜୁ ଜନତା ଦଳକୁ ଅଧିକ ସୁଦୃଢ଼ କରି ରାଜ୍ୟର ବିକାଶକୁ ଶୀର୍ଷରେ ପହଞ୍ଚାଇବାକୁ ପ୍ରୟାସ ଜାରି ରଖିବି ବୋଲି ଶ୍ରୀ ପାଣ୍ଡିଆନ ପ୍ରକାଶ କରିଛନ୍ତି।