ଭୁବନେଶ୍ବର, : ବିରୋଧୀମାନେ ସବୁବେଳେ ମିଛ ପ୍ରଚାର କରିବେ। ସେମାନଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ। ଓଡ଼ିଶାର ରୂପାନ୍ତରଣ ସେମାନଙ୍କ ପାଇଁ ବଡ଼ ଧକ୍କା ହୋଇଛି। ସେମାନେ ଅପପ୍ରଚାର ପାଇଁ ଚେଷ୍ଟା କରିବେ। ମିଛ କହିବେ। ତୃଣମୂଳସ୍ତରରୁ ଆମକୁ ଏହାର ଦୃଢ଼ ମୁକାବିଲା କରିବାକୁ ହେବ। ସାମାଜିକ ଗଣମାଧ୍ୟମରେ ଏହାକୁ ବିରୋଧ କରିବାକୁ ହେବ। ତା’ ସହିତ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ପଡ଼ିବ। ଓଡ଼ିଶାବାସୀ ଜାଣିଛନ୍ତି, ହଜାରେ ମିଛ କେବେ ସତ ହେବ ନାହିଁ। ଘରେ ଘରେ ଶଙ୍ଖ ବାଜିବ। ସତ୍ୟ ଓ ବିକାଶର ବିଜୟ ହେବ। ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ହେବ। ଶଙ୍ଖ ଭବନରେ ଆୟୋଜିତ ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅଧ୍ୟକ୍ଷତା କରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହି ବିରୋଧୀଙ୍କୁ ନିଶାଣ କରିବା ସହ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।
ନବୀନ କହିଥିଲେ ଯେ, ଓଡ଼ିଶାବାସୀ ଏତେ ବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରିୟ ଓଡ଼ିଶାବାସୀଙ୍କ ନିକଟରେ ମୁଁ ସବୁବେଳେ ଋଣୀ। ଓଡ଼ିଶାବାସୀଙ୍କ ନିକଟରେ ଆମ ଦଳର ବାର୍ତ୍ତା ପହଞ୍ଚାଇବା ପାଇଁ ବିଜେଡିର ଲକ୍ଷ ଲକ୍ଷ କର୍ମୀ ନିଷ୍ଠାର ସହ କାମ କରିଆସୁଛନ୍ତି। ସମସ୍ତଙ୍କୁ ଏକାଠି କରି ଦଳକୁ ଆଗେଇ ନେବା ପାଇଁ ଦିନରାତି କାମ କରୁଥିବା ନେତୃମଣ୍ଡଳୀଙ୍କୁ ମୋର ପ୍ରଣାମ। ଆମ ଦଳ ମହିଳା ସଶକ୍ତୀକରଣରେ ବିଶ୍ବାସ କରେ। ସବୁବେଳେ ଆମେ ମା’ମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ ଆସିଛୁ। ବହୁ ସଂଖ୍ୟାରେ ମା’ ବିଜେଡିରେ ସାମିଲ ହୋଇଛନ୍ତି। ମା’ମାନଙ୍କ ନେତୃତ୍ବ ନେଉଥିବା ମହିଳା ନେତୃତ୍ବକୁ ମୋର ପ୍ରଣାମ। ମା’, ଛାତ୍ର ଓ ଯୁବଶକ୍ତି ଏବଂ ଓଡ଼ିଶାବାସୀଙ୍କ ପସନ୍ଦ ବିଜୁ ଜନତା ଦଳ। ସମସ୍ତେ କହୁଛନ୍ତି ବିଜେଡି ହେଉଛି ସର୍ବାଧିକ ସଫଳ ଆଞ୍ଚଳିକ ଦଳ। କିନ୍ତୁ ମୁଁ ସବୁବେଳେ କହିଆସିଛି ଯେ ବିଜେଡି ହେଉଛି ଦେଶରେ ସର୍ବାଧିକ ସଫଳ
ସାମାଜିକ-ଅର୍ଥନୈତିକ ଆନ୍ଦୋଳନ। ଆମ ଦଳର ମୂଳମନ୍ତ୍ର ସେବା। ବିଜୁବାବୁଙ୍କ ଆଦର୍ଶରେ ଆମେ ସବୁବେଳେ ସେବା ମନୋଭାବ ନେଇ କାମ କରିଚାଲିଛୁ। ଏଥିପାଇଁ ଓଡ଼ିଶାବାସୀ ଆମକୁ ଆଶୀର୍ବାଦ ଦେଇ ଆସିଛନ୍ତି। ଏହି ଆଶୀର୍ବାଦ ସହ ରହିଛି ବହୁତ ବଡ଼ ଦାୟିତ୍ବ। ଏହି ଦାୟିତ୍ବକୁ ଠିକ୍ ଭାବେ ପାଳନ କରିବା ପାଇଁ ତୃଣମୂଳସ୍ତରରୁ ଆମର କର୍ମୀ ଓ ଆମର ବିଭିନ୍ନସ୍ତରର ନେତା ନିଷ୍ଠାର ସହ କାମ କରୁଛନ୍ତି। କିଛି ଲୋକ ପଚାରୁଛନ୍ତି, ଆପଣଙ୍କ ଦଳରେ ନିର୍ବାଚନ ପ୍ରସ୍ତୁତି କେମିତି ଚାଲିଛି। ମୁଁ କହିବାକୁ ଚାହେଁ ଯେ ନିର୍ବାଚନ ପ୍ରସ୍ତୁତି ନୁହେଁ; ଆମେ ଲୋକଙ୍କ କାମରେ ଓ ସେବାରେ ବିଶ୍ବାସ କରୁ। ଇତିହାସ କେବେ ଏତେବଡ଼ ରୂପାନ୍ତରଣ ଦେଖିନଥିଲା। ଆପଣମାନେ ରୂପାନ୍ତରଣର ଅଂଶ ଏବଂ ଏହାକୁ ଦେଖୁଛନ୍ତି।
ମଠ ମନ୍ଦିର ହେଉ ବା ବିଦ୍ୟାଳୟ, ମହାବିଦ୍ୟାଳୟ, ଚିକିତ୍ସାଳୟ, ଜଳସେଚନ ସୁବିଧା, ଗାଁ ଗାଁରେ ବ୍ୟାଙ୍କ ସୁବିଧା, ଲକ୍ଷ୍ମୀ ଯୋଜନା, ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ଆଦି ସବୁ କ୍ଷେତ୍ରରେ ଦେଶ ଦେଖୁଛି ଓଡ଼ିଶାର ରୂପାନ୍ତରଣ। ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀ ହୋଇପାରିଛି। ପୁଞ୍ଜିନିବେଶ କ୍ଷେତ୍ରରେ ବିପୁଳ ସୁଯୋଗ, ନୂଆ ନୂଆ ଆଇଟି କମ୍ପାନୀ ଖୋଲିବା, ଦକ୍ଷତା ବିକାଶ, ମହିଳା ସଶକ୍ତୀକରଣ, ଚାଷୀ ସଶକ୍ତୀକରଣ ଆଦି ସବୁ କ୍ଷେତ୍ରରେ ଓଡ଼ିଶା ସାରା ଭାରତରେ ଆଜି ଉଦାହରଣ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଓଡ଼ିଶାର ରୂପାନ୍ତରଣ ବିରୋଧୀଙ୍କ…
ଓଡ଼ିଶାର ରୂପାନ୍ତରଣ ବିରୋଧୀଙ୍କ ପାଇଁ ବଡ଼ ଧକ୍କା
ବିଜେଡି କାର୍ଯ୍ୟକାରିଣୀରେ ନବୀନଙ୍କ ନିଶାଣ
Leave a comment