ନୂଆଦିଲ୍ଲୀ, : ଆସନ୍ତା ୨୬ରୁ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨ ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳାରୁ ଓପ୍ନିଂ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ୱାଡ୍ ବାଦ୍ ପଡ଼ିଛନ୍ତି। ଋତୁରାଜଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ଫଳରେ ସେ ସ୍ବଦେଶ ଫେରିଆସିବେ। ଋତୁରାଜଙ୍କ ସ୍ଥାନରେ ବଙ୍ଗଳାର ଓପ୍ନିଂ ବ୍ୟାଟ୍ସମ୍ୟାନ୍ ଅଭିମନ୍ୟୁ ଈଶ୍ବରନ୍ଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇଛି।
ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଖେଳିବା ବେଳେ ଋତୁରାଜଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଋତୁରାଜ ଟେଷ୍ଟ ଶୃଙ୍ଖଳାରେ ଖେଳିବା ଅସମ୍ଭବ ଅନୁଭବ କରି ଭାରତୀୟ ଦଳ ମ୍ୟାନେଜମେଣ୍ଟ ଅଭିମନ୍ୟୁ ଈଶ୍ବରନ୍ଙ୍କୁ ୨ ଦିନ ତଳେ ଦଳରେ ସାମିଲ କରି ସାରିଥିଲା। ଈଶ୍ବରନ୍ ଭାରତ ‘ଏ’ ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିଲେ। ତେଣୁ ଋତୁରାଜଙ୍କ ସ୍ଥାନରେ ଅତିରିକ୍ତ ଓପ୍ନର ଭାବେ ଅଭିମନ୍ୟୁ ଈଶ୍ବରନ୍ ଭାରତୀୟ ଟେଷ୍ଟ ଦଳରେ ରହିବେ। ଟେଷ୍ଟମ୍ୟାଚ୍ ପୂର୍ବରୁ ଅଭ୍ୟାସ ମ୍ୟାଚ୍ରେ ଅଭିମନ୍ୟୁଙ୍କୁ ଖେଳା ଯାଇଥିଲା। ପ୍ରିଟୋରିଆରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଈଶ୍ବରନ୍ ଅପରାଜିତ ୬୧ ରନ୍ କରିଥିଲେ। ଋତୁରାଜ ଆହତ ହେବା ଭାରତୀୟ ଟେଷ୍ଟ ଦଳ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। କାରଣ ଅଧିନାୟକ ରୋହିତ ଶର୍ମା ଓ ଯଶସ୍ବୀ ଜୟସୱାଲ ଇନିଂସ ଓପନ୍ କରିବେ। ଚେତେଶ୍ବର ପୂଜାରାଙ୍କ ସ୍ଥାନ ନେଇ ଶୁବ୍ମାନ ଗିଲ୍ ୩ନଂ ସ୍ଥାନରେ ବ୍ୟାଟିଂ କରିବେ।
ଏଣେ ବ୍ୟକ୍ତିଗତ କାମ ଥିବାରୁ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ସ୍ବଦେଶ ଫେରି ଆସିଛନ୍ତି। ଫଳରେ ଦଳର ଅଭ୍ୟାସ ମ୍ୟାଚ୍ରେ କୋହଲି ଭାଗ ନେଇନଥିଲେ। ତେବେ ୨୬ରେ ପ୍ରଥମ ଟେଷ୍ଟମ୍ୟାଚ୍ ପୂର୍ବରୁ କୋହଲି ଭାରତୀୟ ଦଳ ସହ ଯୋଗଦେବେ ଏବଂ ଟେଷ୍ଟମ୍ୟାଚ୍ ଖେଳିବେ ବୋଲି ଭାରତୀୟ ଦଳ ପକ୍ଷରୁ କୁହାଯାଇଛି।