ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଶୁକ୍ରବାର ସମଗ୍ର ଦେଶରେ ୬୪୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୭ରେ ପହଞ୍ଚିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରେ ୨୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ କେରଳରେ ଆଉ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨ଜଣ ଜେଏନ୍ ଡଟ୍ ୱାନ ପ୍ରଜାତିରେ ଆକ୍ରାନ୍ତ ହୋଇଛନ୍ତି।
ଏଥିରୁ ୨୧ଜଣ ଗୋଆର ହୋଇଥିବାବେଳେ କେରଳର ଜଣେ। ଦୀର୍ଘ ମାସର ବ୍ୟବଧାନ ପରେ ଉତ୍ତରପ୍ରଦେଶ ନଇଡାର ବୁଦ୍ଧନଗରରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ବ୍ୟକ୍ତି ଜଣଙ୍କ ଗୁରୁଗ୍ରାମର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି କରନ୍ତି। ଚଳିତମାସରେ ସେ ନେପାଳ ଗସ୍ତ କରିଥିଲେ। ତାଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ନମୁନା ପରୀକ୍ଷାରୁ ସଂକ୍ରମିତ ହୋଇଥିବା ଜଣାଯାଇଛି। ତାଙ୍କର ନମୁନାକୁ ଜିନ୍ ଅନୁଶୀଳନ ନିମନ୍ତେ ଦିଲ୍ଲୀ ପଠାଯାଇଛି।