ଭୁବନେଶ୍ୱର, ୩୧।୧୨: ଇଂରାଜୀ ନୂଆବର୍ଷ ଦିନ ଏକାମ୍ର କ୍ଷେତ୍ରରେ ବିପୁଳ ଜନସମାଗମ ହେବା ସମ୍ଭାବନା ଥିବାରୁ ଗୋଟିଏ ଦିନ ଲାଗି ଅର୍ଥାତ ସୋମବାର ଦୈନିକ ଲିଙ୍ଗରାଜ ହାଟ ବନ୍ଦ ରହିବ । ଏ ନେଇ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରାଯାଇଛି । ଶନିବାର ମଧ୍ୟାହ୍ନରେ ଶ୍ରୀ ମହାନ୍ତି ପ୍ରଥମେ ଏସିପି ଗିରିଜା ଚକ୍ରବର୍ତ୍ତୀ ଓ ଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସହିତ ଏନେଇ ଫୋନ ଯୋଗେ ଆଲୋଚନା କରିଥିଲେ । ତିନି ଅଧିକାରୀ ଭିଡ଼ ପରିଚାଳନାରେ ଏହି ନିଷ୍ପତ୍ତି ଯଥେଷ୍ଟ ସହାୟକ ହେବ ବୋଲି ଏକମତ ହୋଇଥିଲେ ।
ସେହିପରି ପହିଲାରୁ ମନ୍ଦିର ଭିତରକୁ କୌଣସି ବ୍ୟକ୍ତି ପ୍ଲାଷ୍ଟିକ ଗ୍ଲାସରେ କ୍ଷୀର କିମ୍ବା ପଲିଥିନ୍ରେ ଭୋଗ ନେଇ ଦିଅଁଙ୍କ ପାଖରେ ଲାଗି କରି ପାରିବେ ନାହିଁ ବୋଲି ଅନ୍ୟ ଏକ ନିର୍ଦ୍ଦେଶନାମା ପ୍ରସ୍ତୁତ ହୋଇଛି । ମନ୍ଦିରରେ କେବଳ ଓମଫେଡ ଘିଅର ଦୀପ ଜାଳିବା ଲାଗି ଅନୁମତି ଦିଆଯିବ । ଅନ୍ୟ କୌଣସି ଘିଅର ବ୍ୟବହାର ଉପରେ ନିଷେଦ୍ଧାଦେଶ ଜାରି କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଶ୍ରୀମନ୍ଦିର ପରି ଏଠାରେ ମଧ୍ୟ ନୂଆବର୍ଷଠାରୁ ସେବାୟତ ଏବଂ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପାନ ଗୁଟ୍ଖା ଖାଇ କିମ୍ବା ସାଥିରେ ନେଇ ଯାଇ ପାରିବେ ନାହିଁ । ଏ ନେଇ ସମସ୍ତଙ୍କୁ ବାରଣ ଓ ସଚେତନ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଦଣ୍ଡ ବିଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଏ ବାବଦରେ ଏକାମ୍ର ଜନଜାଗରଣ ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି, ଏ ସବୁ ନିଷ୍ପତ୍ତିର ଅନେକ ସୁଫଳ ସମସ୍ତଙ୍କୁ ମିଳିବ । କିନ୍ତୁ ଅମାନିଆଙ୍କ ପାଇଁ ଶକ୍ତ ଦଣ୍ଡ ବିଧାନ ନ ହେଲେ ଭୟ ସୃଷ୍ଟି ହେବ ନାହିଁ ।