ନୂଆଦିଲ୍ଲୀ,୦୮/୧୨: ଆସନ୍ତା ଫେବ୍ରୁଆରୀରେ ସଂସଦରେ ଉପସ୍ଥାପନ ହେବାକୁ ଥିବା ବଜେଟରେ କୌଣସି ବଡ଼ ଘୋଷଣା କରାଯିବ ନାହିଁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା ସ୍ପଷ୍ଟ କରିଛନ୍ତି ।
ଏହା ମୋଦି:୨.୦ ସରକାରର ଅନ୍ତିମ ବଜେଟ୍ । ଆଗକୁ ନିର୍ବାଚନ ରହିଛି । ତେଣୁ ଏହା ଅନ୍ତରୀଣ ବଜେଟ ହେବ । ନୂଆ ସରକାର ଆସିବା ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ତେବେ ଏ ବଜେଟରୁ କୌଣସି ବିଗ୍ ବ୍ୟାଙ୍ଗ୍ ଘୋଷଣା ଆଶା କରନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କହିଛନ୍ତି । ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ)ର ଗ୍ଲୋବାଲ ଇକୋନୋମିକ୍ ପଲିସି ଫୋରମ୍ରେ ଯୋଗ ଦେଇ ଅର୍ଥମନ୍ତ୍ରୀ ଏହା କହିଛନ୍ତି ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଭୋଟ୍ ଅନ୍ ଆକାଉଣ୍ଟରେ କୌଣସି ବଡ଼ ଘୋଷଣା କରାଯାଇ ନ ଥାଏ । ନୂଆ ସରକାର ଆସିବା ପର୍ଯ୍ୟନ୍ତ ହେବାକୁ ଥିବା ଖର୍ଚ୍ଚ ଲାଗି ଅନ୍ତରୀଣ ବଜେଟ ହୋଇଥାଏ । ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଷଷ୍ଠ ବଜେଟ । ୨୦୧୯ ଜୁଲାଇରେ ସୀତାରମଣ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ ।
୨୦୨୪-୨୫ ଅନ୍ତରୀଣ ବଜେଟ ଆସନ୍ତା ଫେବ୍ରୁଆରୀରେ ଉପସ୍ଥାପନ ହୋଇପାରେ । ପୂର୍ବରୁ ସାଧାରଣ ବଜେଟ ଫେବ୍ରୁଆରୀ ମାସର ଅନ୍ତିମ ଦିବସରେ ଆଗତ ହେଉଥିଲା । କିନ୍ତୁ ନରେନ୍ଦ୍ର ମୋଦି ସରକାର ଏହି ବହୁ ପୁରୁଣା ପରମ୍ପରାକୁ ଭାଙ୍ଗି ଫେବ୍ରୁଆରୀ ୧ରେ ବଜେଟ୍ ଉପସ୍ଥାପନ କରିବା ଆରମ୍ଭ କରିଥିଲେ । ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗତଃ ଅରୁଣ ଜେଟ୍ଲୀ ୨୦୧୭ ଫେବ୍ରୁଆରୀ ୧ରେ ଏହି ପରମ୍ପରା ଅନୁସାରେ ବଜେଟ୍ ଉପସ୍ଥାପନ କରିଥିଲେ ।
ଚଳିତବର୍ଷ ସେପ୍ଟେମ୍ବରରେ ଅର୍ଥ ମନ୍ତ୍ରାଳୟ ୨୦୨୪-୨୫ ଅନ୍ତରୀଣ ବଜେଟ୍ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଥିଲେ । ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗଗୁଡ଼ିକ ପକ୍ଷରୁ ଏହା ଉପରେ ମତ ଏବଂ ଖର୍ଚ୍ଚ ଦାବି ଲୋଡ଼ାଯାଇଥିଲା । ପ୍ରାକ୍-ବଜେଟ୍ ବୈଠକଗୁଡ଼ିକ ପରେ ୨୦୨୪-୨୫ ବଜେଟ ପାଇଁ ବଜେଟ ବରାଦ ଧାର୍ଯ୍ୟ କରାଯିବ ।
ସୂଚନାଯୋଗ୍ୟ, ବୁଧବାର କେନ୍ଦ୍ର ସରକାର ଚଳିତ ଆର୍ଥିକବର୍ଷ ପାଇଁ ଅତିରିକ୍ତ ୧.୨୯ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ପାଇଁ ସଂସଦର ମଞ୍ଜୁରି ଲୋଡ଼ିଛନ୍ତି । ବିଶେଷ କରି ଚାଷୀଙ୍କ ପାଇଁ ବର୍ଦ୍ଧିତ ସବ୍ସିଡି ଏବଂ ଏକ ଗ୍ରାମୀଣ ନିଯୁକ୍ତି ଯୋଜନା ବାବଦରେ ଏହି ଅର୍ଥରାଶି ଖର୍ଚ୍ଚ ହେବ ।
ସରକାର ପ୍ରକାଶ କରିଛନ୍ତି ଯେ, ମାର୍ଚ୍ଚ ୩୧ରେ ଶେଷ ହେଉଥିବା ଆର୍ଥିକବର୍ଷ ପାଇଁ ନେଟ୍ ଅତିରିକ୍ତ ବ୍ୟୟ ୫୮,୩୭୮ କୋଟି ଟଙ୍କା ରହିବ । ଅବଶିଷ୍ଟ ଖର୍ଚ୍ଚ କାଟ ମାଧ୍ୟମରେ ଯୋଗାଡ଼ କରାଯିବ । ସରକାର ଆହୁରି କହିଛନ୍ତି ଯେ, ଚଳିତ ଆର୍ଥିକବର୍ଷରେ ଅତିରିକ୍ତ ବ୍ୟୟ ବିତ୍ତୀୟ ନିଅଣ୍ଟକୁ ବଢ଼ାଇବ ନାହିଁ । କାରଣ ଟିକସ ଆୟ ଆଶାଠାରୁ ଅଧିକ ରହିବ । ସୂଚନାଯୋଗ୍ୟ, ୨୦୧୯ରେ ଅନ୍ତରୀଣ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ୨୦୧୯-୨୦ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ । ୨୦୧୪ ଫେବ୍ରୁଆରୀରେ ପି. ଚିଦାମ୍ବରମ୍ ପୂର୍ବ ୟୁପିଏ ସରକାରଙ୍କ ଭୋଟ୍-ଅନ୍-ଆକାଉଣ୍ଟକୁ ଉପସ୍ଥାପନ କରିଥିଲେ।
ଭୋଟ୍ ଅନ୍ ଆକାଉଣ୍ଟ କ’ଣ ?
ଏକ ବିଦାୟୀ ସରକାର କେବଳ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥାଏ କିମ୍ବା ଭୋଟ୍ ଅନ୍ ଆକାଉଣ୍ଟ ଲୋଡ଼ିଥାଏ । ନୂଆ ସରକାର ଆସିବା ପରେ ଆର୍ଥିକବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ ହୋଇଥାଏ । ମାତ୍ର କିଛି ମାସ ପାଇଁ କନ୍ସୋଲିଡେଟେଡ୍ ଫଣ୍ଡ୍ ଅଫ୍ ଇଣ୍ଡିଆରୁ ଟଙ୍କା ଉଠାଇବା ଲାଗି ‘ଭୋଟ୍ ଅନ୍ ଆକାଉଣ୍ଟ’ ହେଉଛି ଏକ ଅନୁମତି । ଏହା ଏକ ଔପଚାରିକତା । ଏହାକୁ ନେଇ ଗୃହରେ କୌଣସି ତର୍କ ହୋଇ ନ ଥାଏ । ପାଣ୍ଠି ବ୍ୟୟ ଲାଗି ସରକାରଙ୍କୁ ସଂସଦର ମଧ୍ୟବର୍ତ୍ତୀକାଳୀନ ଅନୁମତି ହେଉଛି ‘ଭୋଟ୍ ଅନ୍ ଆକାଉଣ୍ଟ’ ।