ମୁମ୍ବାଇ: ଶିବସେନା ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଉପରେ ବିଧାନସଭା ବାଚସ୍ପତି ରାହୁଲ ନାର୍ବେକର ବୁଧବାର ସିନ୍ଦେ ଗୋଷ୍ଠୀ ସପକ୍ଷରେ ରାୟ ଶୁଣାଇଥିବା ବେଳେ ଏହି ରାୟର ପ୍ରଭାବ ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଉପରେ କ’ଣ ପଡ଼ିବ ତାହାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ବିଜେପିର କିଛି ବରିଷ୍ଠ ନେତା ଦାବି କରିଛନ୍ତି ଯେ, ୧୫-୨୦ ଦିନ ମଧ୍ୟରେ କଂଗ୍ରେସର ଅନେକ ବିଧାୟକ ବିଜେପିକୁ ଯିବାକୁ ଅପେକ୍ଷା କରିଛନ୍ତି। ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ବିଜୟ ୱାଡେଟ୍ଟିବର ଥିବା କୁହାଯଉଛି। ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍ସିପିରେ ଥିବା ଜୟନ୍ତ ପାଟିଲଙ୍କ ନାମ ମଧ୍ୟ ରହିଛି। ତେବେ ସମସ୍ତେ ଏହି ଖବରକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଘନିଷ୍ଠ କୁହାଯାଉଥିବା ବିଜେପି ମନ୍ତ୍ରୀ ଗିରିଶ ମହାଜନ। ପ୍ରଥମେ ଜାନୁଆରି ୬ ତାରିଖରେ ନାସିକରେ ‘ରାଜନୈତିକ ଭୂମିକମ୍ପ’ ବିଷୟରେ କହିଥିଲେ। ପରଦିନ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରଶେଖର ବାୱନକୁଲେ ପୁଣେରେ ଦଳୀୟ ବୈଠକରେ ସମାନ ଭବିଷ୍ୟବାଣୀ କରିଥିଲେ। ବିଜେପିରେ ଯୋଗ ଦେବା ପାଇଁ ଅନ୍ୟ ରାଜନୈତିକ ଦଳର ସଦସ୍ୟଙ୍କ ଲମ୍ବା ଧାଡ଼ି ଲାଗିଛି ବୋଲି ବାୱନକୁଲେ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅନେକ ଲୋକ ଅଛନ୍ତି ଯେଉଁମାନେ ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ନିଶ୍ଚିତ ହେଲେ ବିଜେପି ଏବଂ ଏହାର ସହଯୋଗୀ ଦଳରେ ଯୋଗ ଦେବାକୁ ଅପେକ୍ଷା କରିଛନ୍ତି। ସେମାନେ ଦଳ ଛାଡ଼ିବେ ବୋଲି କେହି ଘୋଷଣା କରୁନାହାନ୍ତି। ସେମାନେ ଦଳ ପରିବର୍ତ୍ତନ କରିବା ପରେ ହିଁ ଏ ବିଷୟରେ ଘୋଷଣା କରିବେ। ତେବେ ବିଜେପି ନିଜର କୌଣସି ସହଯୋଗୀ ଦଳକୁ ଲୋକସଭା ଆସନ ପ୍ରଦାନ କରିବାର ସମ୍ଭାବନା ନାହିଁ, ଯଦି ସେମାନେ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ସେହି ଆସନରେ ଜିତିବା ପାଇଁ ସେମାନଙ୍କ ପ୍ରାର୍ଥୀଙ୍କ ଦକ୍ଷତା ବିଷୟରେ ବୁଝାଇବାରେ ସକ୍ଷମ ନ ହୁଅନ୍ତି। ଏହା ପୂର୍ବରୁ ବାୱନକୁଲେ କହିଥିଲେ ଯେ ବିଜେପି ୫୧% ଭୋଟ୍ ସହ ୪୫ଟି ଆସନ ପାଇଁ ଲକ୍ଷ୍ୟ ରଖିଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ଭୋଟ୍ ପ୍ରତିଶତ ୨୭.୮୪% ଥିଲା ଏବଂ ଏହାର ପୂର୍ବ ସହଯୋଗୀ ଅବିଭକ୍ତ ଶିବସେନାର ଭୋଟ୍ ପ୍ରତିଶତ ଥିଲା ୨୩.୫%। ଅବିଭକ୍ତ ଏନ୍ସିପିକୁ ୧୫.୬୬% ଓ କଂଗ୍ରେସକୁ ୧୬.୪୧% ଭୋଟ୍ ମିଳିଥିଲା।