ଇସ୍ଲାମାବାଦ: ପାକିସ୍ତାନ ସେନା ଶିବିରରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପାକିସ୍ତାନୀ ତାଲିବାନ ସହ ଜଡ଼ିତ ଆତଙ୍କବାଦୀମାନେ ଏହି ବିସ୍ଫୋରଣ ଘଟାଇଥିବା ଦାବି କରିଛନ୍ତି। ପାକିସ୍ତାନୀ ନ୍ୟୁଜ୍ ୱେବସାଇଟ ‘ଡନ୍’ ଅନୁସାରେ, ଖୈବର ପଖ୍ତୁନ୍ଖ୍ବାର ଡେରା ଇସ୍ମାଇଲ ଖାନ ଜିଲାରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହୋଇଛି ଏବଂ ଏଥିରେ ଅନେକ ଲୋକ ପ୍ରାଣ ହରାଇଥିବା ମଙ୍ଗଳବାର ଅଧିକାରୀମାନେ କହିଛନ୍ତି। ଅଧିକାରୀଙ୍କ କହିବା ମୁତାବକ, ସମସ୍ତେ ଶୋଇଥିବା ସମୟରେ ଏହି ଆକ୍ରମଣ ହୋଇଥିଲା ଓ ସେମାନେ ସାଧାରଣ ପୋଷାକରେ ଥିଲେ। ତେଣୁ ମୃତକ ସମସ୍ତେ ସୁରକ୍ଷାକର୍ମୀ କି ନୁହେଁ ସେନେଇ ତଦନ୍ତ ଚାଲିଛି। ଅପରପକ୍ଷେ, ଏଥିରେ ପ୍ରାୟ ୨୭ଜଣ ଆହତ ହୋଇଥିବା କୁହାଯାଉଛି। ଧ୍ୱଂସାବଶେଷରୁ ମୃତଦେହଗୁଡ଼ିକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି।